
କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ରସୁଲପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
🟥 କୋରେଇ | Korei News Network (KNN)
କୋରେଇ ବିଧାୟକ ଆକାଶ ଦାସ ନାୟକଙ୍କ ରସୁଲପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ରିଲିଫ୍, ରାସ୍ତା ମରାମତି ଓ ଜରୁରୀ ସହାୟତା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ
କୋରେଇ: ବର୍ତ୍ତମାନର ବନ୍ୟା ପରିସ୍ଥିତି ଯୋଗୁଁ ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବେଶ କରିବା ପରେ କୋରେଇ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଆକାଶ ଦାସ ନାୟକ ରସୁଲପୁର ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି।
ବିଧାୟକ ଶ୍ରୀ ଦାସ ନାୟକ ବାହାଦଲାପୁର, ଭୋଟକା, ବନ୍ଦାଳ, ଗନ୍ଧଣ ଓ ଟିକରପଡ଼ା ଗ୍ରାମପଞ୍ଚାୟତ ଗସ୍ତ କରି ବନ୍ୟା ପ୍ରଭାବିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ସ୍ଥାନୀୟ ପରିସ୍ଥିତିର ଅନୁଧ୍ୟାନ କରିଥିଲେ।

ଏହି ପରିଦର୍ଶନ ସମୟରେ ସ୍ଥାନୀୟ ତହସିଲଦାର, ଆଇଆଇସି, ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀ ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ।
ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ଶୁଖିଲା ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସହାୟତା ସାମଗ୍ରୀ ଶୀଘ୍ର ପହଞ୍ଚାଇବା ପାଇଁ ସମ୍ପୃକ୍ତ ବିଭାଗକୁ ବିଧାୟକ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି।

ଏହା ସହିତ, ବର୍ଷା ଯୋଗୁଁ କ୍ଷତିଗ୍ରସ୍ତ ରାସ୍ତାଘାଟର ତୁରନ୍ତ ମରାମତି କରି ଯାତାୟାତ ସ୍ୱାଭାବିକ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ସେ କହିଥିଲେ।
ବନ୍ୟା ପରିସ୍ଥିତି ଉପରେ ପ୍ରଶାସନ ପକ୍ଷରୁ ନିରନ୍ତର ନଜର ରଖାଯାଉଥିବାବେଳେ, ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇବାକୁ ପ୍ରାଥମିକତା ଦିଆଯାଉଛି।
📰 Korei News Network (KNN)
“କୋରେଇର କଥା, ଲୋକଙ୍କ ସ୍ୱର”



