State News

ବନ୍ୟା ପ୍ରଭାବିତଙ୍କ ପାଇଁ ₹୧,୦୦୦ କୋଟିର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା

Odisha CM Announces ₹1,000 Crore Ten-Point Flood Relief Package Amid Heavy Rainfall

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟକୁ ଅଧିକ ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।

ବିପନ୍ନ ନାଗରିକଙ୍କୁ ତୁରନ୍ତ ଓ ସମ୍ଭାବ୍ୟ ସମସ୍ତ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ₹୧,୦୦୦ କୋଟିର ଦଶ-ସୂତ୍ରୀ ସ୍ୱତନ୍ତ୍ର ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।

ଦଶ-ସୂତ୍ରୀ ସ୍ୱତନ୍ତ୍ର ପ୍ୟାକେଜ୍

୧. ଚାଷୀଙ୍କୁ କୃଷି ଇନପୁଟ୍ ସବ୍‌ସିଡି:
୩୩% କିମ୍ବା ତା’ଠାରୁ ଅଧିକ ଫସଲ କ୍ଷତି ହୋଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ₹୮,୫୦୦, ଜଳସେଚିତ ଅଞ୍ଚଳରେ ₹୧୭,୦୦୦ ଏବଂ ବାରମାସୀ ଫସଲ ପାଇଁ ₹୨୨,୫୦୦ ସହାୟତା ଦିଆଯିବ।

୨. ବିହନ ପାଇଁ ଆର୍ଥିକ ସହାୟତା:
ଧାନ ଓ ଅଣଧାନ ବିହନ କିଣିବା ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କ ଆକାଉଣ୍ଟକୁ DBT ମାଧ୍ୟମରେ ସ୍ୱତନ୍ତ୍ର ସହାୟତା ରାଶି ପ୍ରଦାନ କରାଯିବ।

୩. ପନିପରିବା ମିନିକିଟ୍ ଓ ରୋଗ-ପୋକ ନିୟନ୍ତ୍ରଣ:
କ୍ଷତିଗ୍ରସ୍ତ ଚାଷୀଙ୍କୁ ମାଗଣା ପନିପରିବା ମିନିକିଟ୍ ଯୋଗାଇ ଦିଆଯିବ। ବନ୍ୟା ପରେ ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ୭୫% ସବ୍‌ସିଡି ମଧ୍ୟ ଦିଆଯିବ।

୪. ଜଳସେଚନ ପ୍ରକଳ୍ପର ପୁନରୁଦ୍ଧାର:
ବନ୍ୟାରେ କ୍ଷତିଗ୍ରସ୍ତ ଜଳସେଚନ ପ୍ରକଳ୍ପଗୁଡ଼ିକର ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ପୁନରୁଦ୍ଧାର କରାଯିବ।

୫. ପଶୁ ସମ୍ପଦ ଓ ମତ୍ସ୍ୟଜୀବୀଙ୍କୁ ସହାୟତା:
ପ୍ରାଣୀ ସମ୍ପଦ କ୍ଷତି ପାଇଁ କ୍ଷତିପୂରଣ ସହ ନଷ୍ଟ ହୋଇଥିବା ଡଙ୍ଗା, ମାଛଧରା ଜାଲ ଓ ପୋଖରୀ ପୁନରୁଦ୍ଧାର ପାଇଁ ମତ୍ସ୍ୟଜୀବୀ ଓ ଚାଷୀଙ୍କୁ ସହାୟତା ଦିଆଯିବ।

୬. କୃଷି ଋଣର ପୁନର୍ଗଠନ:
ଇଚ୍ଛୁକ ଚାଷୀଙ୍କ ସ୍ୱଳ୍ପ ମିଆଦୀ ଖରିଫ୍ କୃଷି ଋଣକୁ ମଧ୍ୟମ ଅବଧି ଋଣରେ ପରିଣତ କରାଯିବ।

୭. ହସ୍ତଶିଳ୍ପ ଓ ହସ୍ତତନ୍ତ କ୍ଷେତ୍ରକୁ ସହାୟତା:
କ୍ଷତିଗ୍ରସ୍ତ ଉପକରଣ ଓ ଯନ୍ତ୍ରପାତି ପାଇଁ ₹୫,୦୦୦ ଏବଂ କଞ୍ଚାମାଲ କିମ୍ବା ପ୍ରସ୍ତୁତ ସାମଗ୍ରୀ କ୍ଷତି ପାଇଁ ₹୫,୦୦୦ ସହାୟତା ଦିଆଯିବ।

୮. ରାସ୍ତା ଓ ଭିତ୍ତିଭୂମିର ପୁନଃନିର୍ମାଣ:
କ୍ଷତିଗ୍ରସ୍ତ ରାସ୍ତାଘାଟ ଓ ଭିତ୍ତିଭୂମିର ସାମୟିକ ମରାମତି କରାଯିବ। ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ସ୍ଥାୟୀ ପୁନଃନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଯୋଗାଇ ଦିଆଯିବ।

୯. ଖାଦ୍ୟ ଓ ରିଲିଫ୍ ବଣ୍ଟନ ଜାରି:
ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ପ୍ରଭାବିତ ଅଞ୍ଚଳରେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଓ ରିଲିଫ୍ ଚାଉଳ ବଣ୍ଟନ ଜାରି ରହିବ।

୧୦. ପ୍ରଭାବିତ ପରିବାରକୁ ଆର୍ଥିକ ସହାୟତା:
ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ନିତ୍ୟବ୍ୟବହାର୍ଯ୍ୟ ବସ୍ତ୍ର ଓ ବାସନ-କୁସନ କିଣିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ପୁନରୁଦ୍ଧାରକୁ ସର୍ବୋଚ୍ଚ ପ୍ରାଥମିକତା

ବନ୍ୟା ପ୍ରଭାବିତ ଅଞ୍ଚଳରେ ପୂର୍ବସ୍ଥିତି ଫେରାଇ ଆଣିବା ସହ ନାଗରିକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି କୁହାଯାଇଛି।

ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ଆବଶ୍ୟକତା ଅନୁଯାୟୀ ଏହି ସହାୟତା ପ୍ୟାକେଜ୍‌ର ରାଶିକୁ ଆହୁରି ବଢ଼ାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button